Home ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ।

52
0

ପୁରୀ : ନିର୍ବାଚନ ଲଢିବା ଆଗରୁ ଚାଲିଗଲା ଜୀବନ । ମାରାତ୍ମକ କୋରୋନା ଭାଇରସ ନେଇଗଲା କଂଗ୍ରେସର ଲଢୁଆ ନେତାଙ୍କ ପ୍ରାଣ । ଦୁଇ ଦିନ ପରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ଏଥିସହ ନିସ୍ତବ୍ଧ ହୋଇଯାଇଛି ସରଗରମ ହୋଇପଡିଥିବା ପିପିଲି ପ୍ରଚାର ନିର୍ବାଚନୀ ମୈଦାନ ।
ଗତ ସପ୍ତାହ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ ମଙ୍ଗରାଜ । ଏହାପରେ ସୋସିଆଲ ମିଡିଆରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଥିଲେ ଅଜିତ । ପ୍ରଚାର ସମୟରେ ଅଚାନକ ଅସୁସ୍ଥ ହୋଇପଡିଥିଲେ ସେ । ଏହାପରେ ତୁରନ୍ତ ଅଜିତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୃତ୍ୟୁ ସହିତ ସଂଗ୍ରାମ କରି ବୁଧବାର ଆଖିବୁଜିଛନ୍ତି ଅଜିତ ।ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣା କେବଳ ପିପିଲି-ଡେଲାଙ୍ଗ ନୁହେଁ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ପ୍ରିୟ ନେତାଙ୍କୁ ହରାଇ ପ୍ରିୟ- ପରିଜନ କୋହ ସମ୍ଭାଳିପାରୁନଥିବା ବେଳେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା ।ଅଜିତଙ୍କ ବିୟୋଗରେ କଂଗ୍ରେସ ଆକାଶରେ ଘୋଟିଯାଇଛି ଶୋକର କଳା ବାଦଲ । କେବଳ କଂଗ୍ରେସ ନୁହେଁ, ବିରୋଧି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ତାଙ୍କ ବିୟୋଗରେ ମର୍ମାହତ ହୋଇ ଶୋକ ପ୍ରକାଶ କରି ପରିବାରକୁ ଜଣାଇଛନ୍ତି ସମବେଦନା ।ପିପିଲି ଉପନିର୍ବାଚନକୁ ନେଇ ପ୍ରଥମେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ । ହେଲେ କଂଗ୍ରେସରେ କାହାକୁ ପ୍ରାର୍ଥୀ କରାଯିବ, ଏହାକୁ ନେଇ ଚାଲିଥିଲା ମାନସ ମନ୍ଥନ । ଆଉ ଶେଷରେ ପିପିଲି ମୈଦାନରେ ଅଜିତଙ୍କୁ ଛିଡା କରିଥିଲା କଂଗ୍ରେସ । କଂଗ୍ରେସରୁ ଅଜିତ ପ୍ରାର୍ଥୀ ହେବା ନେଇ ଦଳର ହାଇକମାଣ୍ଡଙ୍କ ବାଜିଥିଲା ମୋହର ।କଂଗ୍ରେସର ବିଶ୍ବାସ ଜିତିପାରିଥିବା ଅଜିତ କେବଳ ଏବେ ନୁହେଁ ଏହା ପୂର୍ବରୁ ମଧ୍ୟ ହାତ ଚିହ୍ନର ବିଜୟ ପାଇଁ ଓହ୍ଲାଇଥିଲେ ରଣକ୍ଷେତ୍ରକୁ…ତେବେ 1995ରୁ 2000 ମସିହା ପର୍ଯ୍ୟନ୍ତ କଂଗ୍ରେସ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଯୁଧିଷ୍ଠିର ସାମନ୍ତରାୟ । ଗତ ସାଧାରଣ ନିର୍ବାଚନରେ ଯୁଧିଷ୍ଠିରଙ୍କୁ କଂଗ୍ରେସ ଟିକେଟ ଦେଇଥିଲା । ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଯୁଧିଷ୍ଠିର ନିର୍ବାଚନରୁ ଓହରି ଯାଇଥିଲେ । ଆଉ ଶେଷ ମୁହୂର୍ତ୍ତରେ ଅଜିତଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଦଳ । କଂଗ୍ରେସ ଟିକଟରୁ ଲଢି ଅଜିତ ଗତ ନିର୍ବାଚନରେ ଅମାନତ୍ ହରାଇଥିବା ବେଳେ ଉପନିର୍ବାଚନରେ ଦଳ ପୁଣି ତାଙ୍କୁ ପ୍ରାର୍ଥୀ କରିଥିଲା । ପିପିଲି ଉପନିର୍ବାଚନରେ ସବୁ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକ ଧନୀ ଥିଲେ ଅଜିତ ।ପ୍ରକାଶ ଯେ, ଗତ ବର୍ଷ ଅକ୍ଟୋବର ମାସରେ ପିପିଲି ବିଧାୟକ ଥିବା ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ କୋରୋନାରେ ବିୟୋଗ ହୋଇଥିଲା । ଆଉ ଏବେ ନିର୍ବାଚନ ନିକଟତର ହେଉଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ କୋରୋନା ମହାମାରୀର ଭୟବହତାକୁ ବଢାଇଦେଇଛି । ପ୍ରଚାର ସମୟରେ କୋରୋନା ନିୟମ ସଠିକ ଭାବେ ପାଳନ ନ ହେବା ଓ ମହାମାରୀକୁ ଶକ୍ତତା ସହ ନିଆଯାଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଯୁକ୍ତିବାଢିଛନ୍ତି ସାଧାରଣ ଜନତା । ତେବେ ଖାମଖିଆଲି ମନୋଭାବ ଓ ଅଣେଦେଖା ସ୍ବାଭବ ଯୋଗୁଁ ସୁରକ୍ଷା ବଳରେ ରହୁଥିବା ରାଜନେତା ବି କୋରୋନା ଦାଉରୁ ରକ୍ଷା ପାଇପାରୁନାହାନ୍ତି । ଆଉ ଯଦି ପିପିଲି ଦେଖିବା ତେବେ କୋରୋନା ଯେପରି ପିପିଲି ମାଟି ପାଇଁ ପାଲଟିଛି ଅଭିଶପ୍ତ ।

LEAVE A REPLY

Please enter your comment!
Please enter your name here