Home ଓଡ଼ିଶା ଅଲେଖ ମହିମା ଧ୍ୱନିରେ କମ୍ପିଲା ଯୋରନ୍ଦା ।

ଅଲେଖ ମହିମା ଧ୍ୱନିରେ କମ୍ପିଲା ଯୋରନ୍ଦା ।

252
0

ଢେଙ୍କାନାଳ ( ଆମ ଭାରତ ) ୮/୨ : ଢେଙ୍କାନାଳ ଜିଲାର ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମା ଗାଦିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ମାଘମେଳାର ଏପରି ଦୃଶ୍ୟ ହିଁ ଦର୍ଶାଉଥିଲା ମହିମା ଗୋସାଇଁଙ୍କ ପ୍ରତି ଥିବା ଆକୁଣ୍ଠ ବିଶ୍ୱାସକୁ। ପ୍ରଥମ ଦିବସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।  ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ସମୟନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ପ୍ରାତଃ ସମୟରୁ ଶୂନ୍ୟପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସାଧୁସନ୍ଥମାନେ ୬୨ ମୁଠା ରୁପା ପହଁରାରେ ଛେରାପହଁରା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚାମର ସେବା। ପର୍ଯ୍ୟାୟକ୍ରମେ ୫ ମୁଠା ସୁନା ଚାମର ଏବଂ ୬୦ମୁଠା ଚାମରରେ ମନ୍ଦିର ପରିକ୍ରମା ପରେ ଏହି ନୀତି ସମ୍ପନ୍ନ ହୋଇଥିଲା।ଏହାପରେ ଭକ୍ତମାନେ ଶରଣ ଦର୍ଶନ କରିଥିଲେ। ନାମ ଭଜନ, ଖଞ୍ଜଣି ବାଦନ, ସଂକୀର୍ତ୍ତନରେ ପୀଠ ପରିସର ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନ ୫ଟା ୧୫ରେ ଗାଦିମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସନ୍ନ୍ୟାସୀମାନେ ପ୍ରାର୍ଥନା କରିଥିଲେ। ହୁଳହୁଳି, ଅଲେଖ ମହିମା ଧ୍ୱନିରେ କମ୍ପି ଉଠିଥିଲା ପୀଠ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ପକ୍ଷରୁ ସାଧୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା ପ୍ରମୁଖ ବରିଷ୍ଠ ସନ୍ନ୍ୟାସୀମାନେ ଉପାସନା ପୀଠରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here